Saturday, 29 September 2018
ଆଜାହାର ମାସୁଦ୍ ବିରୁଦ୍ଧରେ ଭାରତର କଟକଣା ପ୍ରସ୍ତାବକୁ ପୁଣି ବିରୋଧ କରିବ ଚୀନ
ନୂଆଦିଲ୍ଲୀ, ୨୯/ ୯ : ଭାରତ ଯଦି ପୁଣି ଆଜାହାର ମାସୁଦ୍କୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଆଣେ ତେବେ ତାହାକୁ ଚୀନ ବିରୋଧ କରିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ କହିଛନ୍ତି । ସେ କହିଛନ୍ତି ଯେ ଏଥିନେଇ ଜାତିସଂଘ ସୁରକ୍ଷା ପରିଷଦରେ ସହମତି ନାହିଁ । ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ ବୋଲି ପୁନର୍ବାର ମତ ଦେଇଛି ଚୀନ୍ । ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଭାରତ ସମେତ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ତରଫରୁ ପୂର୍ବରୁ ଜାତିସଂଘରେ ଦାବି କରାଯାଇଥିଲା । ତେବେ ଏହି ଦାବି ଉପରେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ ରାସ୍ତା ଓଗାଳି ଆସୁଛି ଚୀନ୍ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କ୍ୟାଙ୍ଗ କହିଥିଲେ ଯେ, ବିଶ୍ୱ ଆତଙ୍କବାଦୀ ଘୋଷଣା ନିମନ୍ତେ ଥିବା ସର୍ତ୍ତାବଳୀ ମଧ୍ୟରେ ମାସୁଦ ଆଝାର ଆସୁ ନାହିଁ; ତେଣୁ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ । ସେ କହିଥିଲେ ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା; ମାତ୍ର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇ ନ ଥିଲା । ଜାତିସଂଘ ସୁରକ୍ଷା ପରିଷଦର ସଭ୍ୟଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇଲେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯିବ ବୋଲି ଚୀନ୍ ସଫେଇ ଦେଇଆସୁଛି । ଗତବର୍ଷ ଆଝାରକୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଭାରତ ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ଚୀନ୍ ଏହାକୁ ବିରୋଧ କରିଥିଲା । ପଞ୍ଜାବସ୍ଥିତ ଭାରତୀୟ ବାୟୁସେନା ଶିବିର ଉପରେ ମାସୁଦ ଆଝାରର ଇଙ୍ଗିତରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ତରଫରୁ ଦାବି ହେଉଛି । ବର୍ତ୍ତମାନ ଭାରତର ଏହି ଦାବିକୁ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ସମର୍ଥନ କରୁଥିବା ବେଳେ କେବଳ ଚୀନ୍ ଅସହଯୋଗ କରୁଥିବାରୁ ମାସୁଦ ଆଝାର ବିଶ୍ୱ ଆତଙ୍କବାଦୀ ତାଲିକାରେ ସ୍ଥାନ ପାଇବାରୁ ବର୍ତ୍ତି ଯାଉଛି ।
Subscribe to:
Post Comments (Atom)
No comments:
Post a Comment