Thursday, 20 September 2018

ଭାରତ-ପାକ ଆଲୋଚନା ରଦ୍ଦ


ନୂଆଦିଲ୍ଲୀ,୨୦/୯ : ସୀମାରେ ପାକିସ୍ତାନର ବର୍ବରତା ଯୋଗୁଁ ଭାରତ ସରକାର ପାକିସ୍ତାନ ଓ ଭାରତର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ନ୍ୟୁୟର୍କରେ ଚଳିତ ମାସ ଅନୁଷ୍ଠିତ ହେବାକୁ ଥିବା ପ୍ରସ୍ତାବିତ ଅନୌପଚାରିକ ବୈଠକକୁ ରଦ୍ଦ କରିଦେଇଛନ୍ତି  । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏବଂ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ୱରାଜଙ୍କ ମଧ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକ ଓ ଜାତିସଂଘର ଆଗାମୀ ସାଧାରଣ ଅଧିବେଶନ ସମୟରେ ଆଲୋଚନା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ନିବେଦନ କରିଥିଲେ । ଏହାକୁ ଭାରତ ଗୁରୁବାର ଗ୍ରହଣ କରିବା ସହ ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଚଳିତ ମାସ ଅନୌପଚାରିକ ବୈଠକ ହେବ ବୋଲି ଦର୍ଶାଇଥିଲା । କିନ୍ତୁ ସୀମାରେ ଭାରତର ୨ଜଣ ଜବାନଙ୍କୁ ପାକିସ୍ତାନ ରେଞ୍ଜର୍ସ ବର୍ବର ଭାବେ ହତ୍ୟା କରିବା ଓ କାଶ୍ମୀରର ୨୦ଜଣ ଆତଙ୍କବାଦୀଙ୍କୁ ଶହୀଦ ଦର୍ଶାଇ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାକସ୍ତାନ ଡାକ ଟିକେଟ ଜାରି କରିବା ପରିପ୍ରେକ୍ଷୀରେ ଭାରତ ସରକାର ଏହି ପ୍ରସ୍ତାବିତ ଆଲୋଚନାକୁ ରଦ୍ଦ କରିଦେଇଛନ୍ତି । ଏଥିନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଫୈଜଲ ଗତକାଲି କହିଥିଲେ ଯେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ମୋଦିଙ୍କୁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ଇମ୍ରାନ ଏହି ପତ୍ରରେ ଦର୍ଶାଇଥିଲେ । ଏଥିରେ ସେ ବାଣିଜ୍ୟ, ଦୁଇ ଦେଶର ଜନତାଙ୍କ ମଧ୍ୟରେ ସମ୍ପର୍କ, ମାନବିକ ପ୍ରସଙ୍ଗ, ଧର୍ମୀୟ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଉଭୟ ଦେଶ ମଧ୍ୟରେ ଅଟକି ରହିଥିବା ଆଲୋଚନା ପ୍ରକ୍ରିୟା ପୁଣି ଆରମ୍ଭ କରିବା ପାଇଁ ସେ ମୋଦିଙ୍କୁ ପ୍ରସ୍ତାବ ଦେଇଥିବାବେଳେ ଏଥିନେଇ ଭାରତର ଉତ୍ତର ପାକିସ୍ତାନ ଅପେକ୍ଷା କରିଥିବା ଏହାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଥିଲେ  । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବାର ଥିଲା  । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରଥାନ୍ତେ  । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଥିଲା  । ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରକକ୍ତା ରବିଶ କୁମାର କହିଥିଲେ । ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଦୋମୁହାଁ ନୀତି ଯୋଗୁଁ ଏବେ ଏସବୁରେ ପୂର୍ଣ୍ଣଛେଦ ପଡିଛି ।

No comments:

Post a Comment